ପ୍ରମୁଖ ଖବର
ଶୀତ ଆଉ ହୃଦୟ
winter-heart

ଡିସେମ୍ବରର ଏକ ଶୀତରାତି।ବାହାରେ ହାଡଥରା ଶୀତ।କେତେବେଳେ କୋଉଠୁ କୁକୁର ଛୁଆଙ୍କର କୁଁ କୁଁ ଶବ୍ଦ ଭାସିଆସୁଛି ମଝିମଝିରେ।ଶୁନ୍ଶାନ୍ ରାତିର କଲିଜା ଚିରି ବେଳେ ବେଳେ ଗାଡି ଗୋଟେ ଗୋଟେ ଘୁଘାଁ ଦଉଡୁଛି ସାମନା ମେନ ରୋଡରେ।ଅନନ୍ୟାର ଆଖିରେ ଆଜି ନିଦନାହିଁ।ସେ କେବେ ଏମିତି ଏକା ରହିନି ଘରେ।ସବୁବେଳେ ପିଲାମାନେ କେହିନା କେହି ଥାଆନ୍ତି।ଛୋଟପୁଅ କଲେଜ ଚାଲିଗଲାପରେ ଏବେ ଘର ଟା ଖାଲି ହେଇଯାଇଛି।ସୁଭେନ୍ଦୁ ଦୁଇଦିନ ପାଇଁ

ନିଜ କାମରେ ବାହାରକୁଯାଇଛନ୍ତି।ସେ କହୁଥିଲେ ଘରେ ଏକା ରହିପାରିବୁନି ଯଦି କାହାକୁ ଡାକିପକା।ହେଲେ ସେ ନିଜକୁ ଶାହସୀ ଦେଖାଇ ହେବାକୁ ମୁଁ ଏକା ରହିଯିବି ବୋଲି ତାଙ୍କୁ ବିଶ୍ବାସ କରାଇଦେଲା।ହେଲେ ଏବେ ରାତିହେଲାରୁ ମନଭିତରେ ଛନକା ପଶିବା ଆରମ୍ଭ କଲାଣି।ମଝିମଝିରେ ପେଚାଟେ ବି

ରହି ରହି କିଚିରି କିଚିରି ଶବ୍ଦ କରୁଛି ଯେମିତି କିଛି ଅନିଷ୍ଟହେବାର ସୂଚନା ଦେଉଛି ତାକୁ।ରାତିରେ ଏକା ଶୀତ ହେତୁ ନିଦ ହେଉନି।ସୁଭେନ୍ଦୁଙ୍କ କଥା ଭାରି ମନେପଡୁଛି ଆଜି।ଶୀତହେଲେ ସେ ତାଙ୍କୁ ଧରି ଶୋଇଯାଏ ତ ଶୀତ ଆପେଆପେ ଦୂରକୁ ପଳେଇଯାଏ।ହୃଦୟର କଥା ବୋଧହୁଏ ହୃଦୟକୁ ଜଣା ପଡିଯାଏ।ସେପଟୁ ସୁଭେନ୍ଦୁଙ୍କ ଫୋନ ଆସିଲା।

ସେ ସବୁବେଳେ ସତର୍କ ରହନ୍ତି।ବାହାରକୁ ଗଲେବି ତାଙ୍କ ମନ ଘରଆଡେ ପିଲାଙ୍କ ଆଡେ ଥାଏ।ଶୋଇବା ଆଗରୁ ସମସ୍ତଙ୍କୁ ଫୋନକରି ଖବର ବୁଝିଲେ ଯାଇ ଶୁଅନ୍ତି।ଯାହା ତା ଦେଇ ହୁଏନି।ସେ ଫର୍ମାଲିଟି କରେନି।ଦରକାର ହେଲେ ଯାଇ ଫୋନକରେ।ଏକଥା ଘରେ ସମସ୍ତେ ଜାଣିଛନ୍ତି।ସୁଭେନ୍ଦୁ ପଚାରୁଥିଲେ ଡର ଲାଗୁଛିକି?ସେ କହିଲା।ହଁ ଟିକେ ଟିକେ।କବାଟ ସବୁ ଭିତରପଟୁ ବନ୍ଦ କରିଛତ?

ସେ ପଚାରିଲେ।ଅନନ୍ୟା କହିଲା ହଁ ବନ୍ଦ କରିଛି।ତାହେଲେ ଏବେ ଶୋଇଯାଅ କିଛି ହେଲେ ମତେ ଫୋନ କରିବ।

ତାପରେ ସେ ଭଗବାନଙ୍କ ନାଁ ନେଇ ଶୋଇବାକୁ ଚେଷ୍ଟାକଲା।ଶୋଇବା ଆଗରୁ ସେ ଶିବଓ ଜଗନ୍ନାଥଙ୍କ ନାମ ସାତଥର ନିଏ ଓ ତାପରେ ଶୁଏ ଏହା ତାର ନିତ୍ୟ ଅଭ୍ୟାସ।ରାତି ଦୁଇଟା ଖଣ୍ଡେ ହେବ ଘର ବାହାରେ କିଛି ଶବ୍ଦ ଶୁଣାଗଲା।ସେ ତା ସ୍ବାମୀକୁ ଅନ୍ଧାର ଭିତରେ ଫୋନ ଲଗାଇଲା। ସେପଟେ ଫୋନ ରିଙ୍ଗ ହେଉଥିଲା ହେଲେ ଉଠଉ ନଥିଲେ।ପୋଲିସର ନମ୍ବର ସେ ଜାଣିନଥିଲା।ଏତିକି ବେଳେ ବାହାର ଦରଜା ଖୋଲି କେତେ ଜଣ ପଶି ସାରିଥିଲେ।ବୋଧହୁଏ ଦିନ ବେଳୁ କେହିଜଣେ ଛାତଉପରେ ଲୁଚିଥିଲା।ସେ ଆସି ଭିତରପଟୁ ବାହାର ଦରଜା ଖୋଲି ଦେଇଛି।ଭୟରେ ସେ କଣ କରିବ ଭାବି ପାରୁନଥାଏ।ବେଡରୁମ ଭିତରେଥିବା ବାଥରୁମ୍ରେ ପଶି ସେ ଭିତରୁ ଦରଜା ବନ୍ଦ କରି ବସି ରହିଲା।ଯଦି ବେଡରୁମ୍ ର ଦରଜା ଭାଙ୍ଗିବେ ତାହେଲେ ଜିନିଷ ନେଇ ଚାଲିଯିବେ।କମ୍ ସେ କମ୍ ସେ ତ ବଞ୍ଚିଯିବ।ଜୀବନ ଥିଲେ ପୁଣି ଅର୍ଥ କମାଇହେବ।

ସୁଭେନ୍ଦୁ ଦେଖିଲେ।ମିସକଲ୍ ଅଛି।ହେଲେ ଆଉ ଫୋନ ଲାଗୁନି।ତାଙ୍କର ଛଅ ଇନ୍ଦ୍ରିୟ କାମ କରିବା ଆରମ୍ଭ କରିଦେଲା।ଅନନ୍ୟା ବିନା କାମରେ ଫୋନ କରେନି।ନିଶ୍ଚିତ କିଛି ବିପଦ ପଡିଥିବ।ସେଶିଘ୍ର ଫୋନ ଖୋଲି ନିଜ ଘରର ସିସି ଟିଭି ଅନ୍ କରି ଦେଖିଲେ।ଘର ଭିତର ବାଉଣ୍ଡ୍ରି ରେ ଗୋଟେ ଦୁଇଟା ଛାଇ ଦେଖାଗଲା।କଳା ପ୍ୟାଣ୍ଟ ଓ ଜେକେଟ ପିନ୍ଧିଥିଲେ ଲୋକଗୁଡାକ।ମୁହଁରେ ଟୋପି ମଫଲର ବାନ୍ଧିଥିଲେ ଶୀତ ହେତୁ।ସେ ସାଙ୍ଗେ ସାଙ୍ଗେ ପୋଲିସର ନମ୍ବର ଲଗାଇଲେ।ସିଧା ଏସ୍ ପି ମେଡମ୍ଙ୍କୁ ବି ଫୋନକଲେ।ମେଡମ୍ ତାଙ୍କୁ ଭଲକି ଜାଣିଥିବାରୁ ଏତେ ରାତିରେ କିଛି ଅଘଟଣ ଘଟିଥିବ ଭାବି ଫୋନ ଉଠାଇଲେ।ସୁଭେନ୍ଦୁ କହିଲେ ମେଡମ୍ ଶିଘ୍ର ମୋ ଘରକୁ ଯାଆନ୍ତୁୁ।କିଛିଲୋକ ଭିତରେ ପଶିଛନ୍ତି।ମୁ ସିସିି କ୍ୟାମେରାରେ ଦେଖିଛି।ମୋ ସ୍ତ୍ରୀ ଘରେ ଏକାଅଛି।ମୁଁ ବାହାରକୁ କାମରେ ଆସିଛି।ସାଙ୍ଗେ ସାଂଗେ ପୋଲିସ ଧରି ମେଡମ୍ ବାହାରିଲେ।ସେତେ ବେଳକୁ ଚୋରମାନେ ଶୋଇବାଘର କବାଟ ଭାଙ୍ଗିବାରେ ସଫଳ ହେଇ ସାରିଥାନ୍ତି।ଘରକୁ ଚାରିପଟୁ ଘେରାଉ କରି ବନ୍ଧୁକ ଧରି ଭିତରକୁ ପୋଲିସ ଦଳ ଅକସ୍ମାତ ପଶିଆସିବା ଦେଖି ଚୋରମାନେ ଘବରାଇ ଗଲେ।

ସେଗୁଡା ସାଧାରଣ ଲୋକଥିଲେ।ଘରେ ପିଲା ଲୋକ ନଥିବାର ଖବର ପାଇ ପଶିଥିଲେ।ସ୍ତ୍ରୀ ଲୋକକୁ ଡରାଇ ସୁନା ଟଙ୍କା ଲୁଟି ନେବା ଅଭିପ୍ରାୟ ଥିଲା ତାଙ୍କର।ହେଲେ ସୁଭେନ୍ଧୁଙ୍କ ଦୂରଦର୍ଶିତା ବୁଦ୍ଧିପାଇଁ ଧରା ପଡିଗଲେ।ହୃଦୟର ଡାକ ହୃଦୟଯାଏ ପହଞ୍ଚି ଯାଇଥିଲା।ଅନନ୍ୟାର ହୃଦୟର ଡାକ ଫୋନ ନ ଲାଗିଲେବି ସେ ବୁଝି ପାରିଥିଲେ।ସୌଭାଗ୍ୟକୁ ସେ ଘରେ ସିସି ଟିଭି କ୍ୟାମେରା ଲଗାଇଥିଲେ ବୋଲି ଦୂରରେ ଥାଇବି ଘରକୁ ନିଘା ରଖି ପାରୁଥିଲେ।ଆଉ ଚୋର ମାନେ ଧରପଡିଲେ।

ଅନନ୍ୟା ବାଥରୁମରେ ଚୁପ୍ଚାପ ବସିଥିଲେ।ପୋଲିସ ମେଡମ୍ ଆସି ନିଜ ନାଁ ନେବାପରେ ବାଥରୁମ କବାଟ ଖୋଲି ବାହାରିଲେ।ସୁଭେନ୍ଦୁ ସାଙ୍ଗେ ସାଙ୍ଗେ ଗାଡିଟେ ଭଡାକରି ଫେରିଆସିଥିଲେ।ସେଇ ଭୟଙ୍କର ଶୀତରାତି ମନେ କଲେ ଦେହ ଆଜିବି ଶୀତେଇଉଠେ।

ଲେଖିକା : ମାଧବୀ ପଟେଲ
(ଓଡ଼ିଶା ଅନ ୱେବ ପରିବାର ତରଫରୁ ଅନେକ ଅନେକ ଶୁଭେଛା ଓ ଅଭିନନ୍ଦନ )

ଅଧିକ ନ୍ୟୁଜ୍ ଅପଡେଟ୍ ପାଇଁ ଆମ ୱେବସାଇଟ odishaonweb.com ଓ ଫେସବୁକ୍ ପେଜ www.facebook.com/OdishaOnWeb ରେ ଜଡ଼ିତ ରୁହନ୍ତୁ ।