ପ୍ରମୁଖ ଖବର
ମାତୃତ୍ବ ର ସ୍ପର୍ଶ...

ନର୍ସିଂହୋମ ର ବେଡ଼ ଉପରେ ସଦ୍ୟଜାତ ଯାଆଁଳା ଛୁଆ ଦୁଇଟିକୁ ଏକା ସାଙ୍ଗରେ କୋଳେଇ ନେଇଥିଲା ଫୁଲ।କେମିତି କେଜାଣି କୋଉଠୁ ଅସରନ୍ତି ବଳ ତା' ବାହୁ ଯୁଗଳ ରେ ଆସିଯାଇଥିଲା!ଦୁଇଟି ଜୀବନ କୁ ଦୁନିଆ କୁ ଆଣିବାର ସବୁ କଷ୍ଟ ସତେ ଯେମିତି ଅନେକ ଦୂର କୁ ଚାଲି ଯାଇଥିଲା!ବୋଉ ର ବାରଣ ସତ୍ତ୍ୱେ ଏକା ସାଙ୍ଗରେ କୋଳକୁ ଟାଣିନେଇ କୋଉ ଏକ ଅଜଣା,ଅଭୁଲା ସ୍ପନ୍ଦନ କୁ ଅନୁଭବ କରି,ଯେମିତି ନିଜ ଭିତରେ ସବୁଦିନ ପାଇଁ ସେ ମୁହୂର୍ତ୍ତ ଟି କୁ ସାଇତି ରଖିବା ର ଚେଷ୍ଟା କରୁ ଥିଲା!      କୋଳରେ ଝିଅ ୨ଟିଙ୍କୁ ଯାକି ଧରି ଭାବନା ର ଜାଲ ରେ ଯେମିତି ଛନ୍ଦି ହୋଇ ପଡୁଥିଲା।ମନ ଭିତରକୁ ଧସେଇ ହୋଇ ପସିଆସିଥିଲା କିଛି ଘଣ୍ଟା ତଳ ର ଘଟଣା ଟି..        ଚେୟାର ଉପରେ ବସି କାନ୍ଥ କୁ ଆଉଜି ପଡିଥିଲା।ଆଖି ତାର ଟିକେ ବନ୍ଦ ହୋଇ ଆସୁଥିଲା, ଦେହ ର କଷ୍ଟ ସାଙ୍ଗକୁ ମନର ଉଦ୍ ଵେଗ ଯେମିତି ତା କୁ ଦୁର୍ବଳ କରିପକାଉଥିଲା।ବଡ଼ ଭାଇ ଙ୍କ ନାଁ ଟି ବୋଉ ର ପାଟି ରୁ ଦୂରରୁ ଶୁଣିପାରି ପ୍ରକୃତିସ୍ଥ ହୋଇଥିଲା।ଆଖି ଖୋଲିିଲା ବେଳକୁ ବଡ ଭାଇ ଙ୍କୁ ସାମ୍ନା ରେ ସ୍ଥିର ହୋଇ ଠିଆ ହେବାର ଦେଖି ପ୍ରଥମେ ଚମକି ପଡିଥିଲା, ତର ତର ହୋଇ ଉଠିପଡିବାକୁ ଚେଷ୍ଟା କରିଥିଲା,ହେଲେ,ପେଟ ଭିତରେ ବଢୁ ଥିବା ଛୁଆ ଦୁଇଟି ସତେ ଯେମିତି ବାହାର ଦୁନିଆ ଦେଖିବାକୁ ବିକଳ ହୋଇପଡୁଥିଲେ,ତାକୁ ଗୋଡ଼ ରେ ଗୋଇଠା ମାରି ମାରି ମନେ ପକାଇ ଦେଉଥିଲେ ସେମାନଙ୍କ ର ଉପସ୍ଥିତି!!ଗୋଟିଏ ହାତରେ ପେଟକୁ ଟିକେ ଧରି ରଖି ,ପୁଣି ଉଠିବାକୁ ଫୁଲ ଚେଷ୍ଟା କରିଥିଲା।ଏଥର କିନ୍ତୁ ଭାଇ ତାକୁ ଉଠିବାକୁ ଦେଇନଥିଲେ,କାନ୍ଧରେ ହାତ ଟି ତାଙ୍କର ରଖିଦେଇ ସେଇ ଚେୟାର ରେ ସେମିତି ବସାଇଦେଇଥିଲେ।ପାଖରେ ବସି ଯାଇ ତା'ମୁଣ୍ଡ ରେ ହାତ ଟିକିଏ ବୁଲାଇ ଆଣିଥିଲେ।ଫୁଲ ଭାଇଙ୍କ ର ଏଭଳି ବ୍ୟବହାର ରେ ଆଶ୍ଚର୍ଯ୍ୟ ହୋଇ,ତାଙ୍କ ମୁହଁ କୁ ଭଲକରି ଅନାଇଥିଲା।ଯୋଉ ଭାଇ ଙ୍କୁ ସିଏ ଛୁଆଟି ପାଖରୁ ପ୍ରବଳ ଡରୁ ଥିଲା,କେତେବେଳେ ହେଲେ ପାଖରେ ବସି କିଛି ବି ଦୁଃଖ ସୁଖ ହେବା କୁ ସାହସ କରିନଥିଲା,ସେଇ ଭାଇ ର ଆଖିରେ ଢଳ ଢ଼ଳ ଲୁହ ,ଯାହାକୁ ବହୁତ କଷ୍ଟରେ ତା'ଭାଇ ଲୁଚାଇ ବାକୁ ଚେଷ୍ଟା କରୁଥିଲେ!ଶୁଖିଲା ମୁହଁ ରୁ ତା'ର ଅସ୍ପଷ୍ଟ କଥା ପଦୁଟିଏ ବାହାରି ଆସିଥିଲା-ଭାଇ,କ'ଣ ହେଲା?ବୋଉ ପରା ତୁମକୁ ଡାକୁଛି!ଭାଇ କିନ୍ତୁ ବୋଉର ଡାକ ନ ଶୁଣିଲା ଭଳି ତାକୁ ପଚାରି ଦେଇଥିଲେ-କେତେବେଳୁ ଏ ଆଇରନ୍ ଟା ଲଗେଇଛୁ?ସେତକ ଶୁଣୁ ଶୁଣୁ ଫୁଲ ର ମନେପଡିଯାଇଥିଲା-ସିଏ ତ ଅମର ଙ୍କ ସାର୍ଟ ଆଇରନ କରିବାକୁ ଲଗେଇଥିଲା, କେତେ ସମୟ ହୋଇଗଲାଣି,ଜାଣିପାରିନି!! ଡର ଓ ଆଶଙ୍କା ରେ ଯେମିତି ସହମି ଯାଇଥିଲା!ସାମ୍ନାରେ ଟେବୁଲ ଉପରେ ଆଇରନ ନ ହୋଇଥିବା ସାର୍ଟ ଟିକୁ ପଡିଥିବା ର ଦେଖି କଣ କହିବ ଭାବି ପାରୁ ନ ଥିଲା! ଏକଥା କୁ ତ ସିଏ ଆଉ ଭାଇଙ୍କ ପାଖରୁ ଲୁଚାଇ ପାରିବନି!ବାହାଘର ପରେ ପରେ ବାପା ତାର ଆର ପାରି କୁ ଚାଲି ଯାଇଥିଲେ, ବଡ଼ ଭାଇ ତାର ବାପ ଭଳି ସବୁକିଛି ବୁଝି ଆସୁଥିଲେ,କୋଉଥିରେ ଟିକିଏ ବି ଅସୁବିଧା କରିନଥିଲେ।ଏମିତି କି ତା'ରି ସୁବିଧା ପାଇଁ ଯାଆଁଳା ଛୁଆ ଦୁଇଟି ଙ୍କୁ ଭଲ ରେ ଜନ୍ମ କରିବ ବୋଲି,ନିଜ ଘର ର ଭଡା ରହୁଥିବା ଲୋକ ଙ୍କୁ ବିଦା କରିଦେଇ,ସେଇଠି ତା'ର ପୂର୍ଣ୍ଣ ସ୍ୱାଧୀନତା ରେ ରହିବାଇ ବ୍ୟବସ୍ଥା ମଧ୍ୟ କରାଇଦେଇଥିଲେ।ଅମର ଙ୍କ ର କୌଣସି ପ୍ରକାର ଅସୁବିଧା ନ ହେବାର ସବୁ ବ୍ୟବସ୍ଥା ମଧ୍ୟ କରାଇ ଦେଇଥିଲେ।            ଫୁଲ କିନ୍ତୁ କେବେହେଲେ ନିଜର ସୁବିଧା ଅସୁବିଧା ମୁହଁ ଖୋଲି,ତା'ଭାଇ ଙ୍କୁ କହିପାରିନଥିଲା!ମନ ଭିତରେ ତାର ବଡ଼ ଭାଇଙ୍କ ପ୍ରତି ଡର ଓ ସମ୍ମାନ ଯଥେଷ୍ଟ ଥିଲା,ତା'ସାଙ୍ଗକୁ ତା'ଭାଇ ଙ୍କ ର ସିଧା ସିଧା ମୁହଁରେ ଶୁଣାଇଦେବା ଗୁଣ ଟା ମଧ୍ୟ ମନ ଭିତରେ ରହିଥିଲା!ବାପଘର ଓ ଶାଶୁଘର ର ସମ୍ପର୍କ ଭଲ ରଖିବାକୁ ଯାଇ,ସବୁ ସହିଯାଉଥିଲା!ତା'ର ଭାଗ୍ୟ କୁ କେବେ ଦୋଷ ବି ଦେଇପାରୁନ ଥିଲା!କାରଣ,ନିଜ ବୋଉ ର ସଂଘର୍ଷମୟ ଜୀବନ ଟା ତା'ମନ ଭିତରେ ରହିଥିଲା,ଆଉ ତା'ର ସେଇ ପୁରୁଣା କାଳିଆ କଥା ଦୁଇପଦ ଯେମିତି ତା'ମନ ଭିତରେ ଘର କରିଦେଇଥିଲେ-"ଘର କରିଥିଲେ ପଥର ପଡିଲେ ସହି"!!                 ବଡ ଭାଇ ତାର ଖୁବ ଜୋରରେ ଉଠିଚାଲି ଯାଇଥିଲେ ତା'ପାଖରୁ,ହୁଏତ ନିଜ ମୁହଁର ଭାବ କୁ ଫୁଲ ପାଖରେ ଅସ୍ପଷ୍ଟ କରିବାକୁ!ଦୁଇ ବଡ଼ ଭାଇ ଙ୍କ ର ଗେହ୍ଲା ସାନ ଭଉଣୀ ଥିଲା ଫୁଲ।ସାନଭାଇ ତାର ଅଳ୍ପ କେଇ ମୁହୂର୍ତ୍ତ ପରେ ତା',ପାଖକୁ ଧାଇଁ ଆସିଥିଲେ, ରାଗ ଓ ଆଶଙ୍କା ରେ ମୁହଁ ଟା ଯେମିତି ତାଙ୍କର ରଙ୍ଗ ବଦଳାଇ ଦେଇଥିଲା!ଫୁଲ ର ମୁହଁକୁ ଅନାଇ କହି ଉଠିଥିଲେ-ମତେ କହିଲୁନି??ତତେ ଆଇରନ କରିବାକୁ କିଏ କହିଲା??ଡାକ୍ତର ପରା ଠିଆ ହେବାକୁ ତତେ ମନା କରିଛନ୍ତି।ପୁରା ବେଡ଼ ରେଷ୍ଟ।ତୋ ନିଜ କଥା ନ ହେଲା ନାଇଁ, ପିଲା ଦୁଇଟା ଙ୍କ କଥା ଥରେ ଭାବୁନୁ!!ସେମାନେ ବଞ୍ଚିବେ ତ?ଡେଲିଭରି ଟାଇମ ପୁରା ହୋଇ ଗଲାଣି,ଏତେ କେୟାରଲେସ କେମିତି ହେଉଛୁ?ତୁ କଣ ଭାବୁଛୁ ,ତୁ କିଛି ନ କହିଲେ,ଆମେ ଏଠି କେହି କିଛି ଜାଣିପାରୁନୁ!!              ସାନଭାଇ ତା'ର ଅମର ଙ୍କ ର ସବୁ ସାର୍ଟ ପ୍ୟାଣ୍ଟ ଆଇରନ କରି ତା'ପାଖରେ ଥୋଇ ଦେଇଥିଲେ,ଆଉ ଫୁଲ କିଛି କହିବା ପୂର୍ବରୁ ବେଡ଼ ଉପରେ ବଡ଼ ଆଟାଚି ଟି ଅଧାାଖୋଲା ଅବସ୍ଥା ରେ ପଡିଥିବା ଦେଖି,ଧୀରେ ଧୀରେ ସେଇଟି କୁ ମଧ୍ୟ ସଜାଡି ଦେଇଥିଲେ।ଫୁଲ ସେଇଠି ବସି ସବୁ ବଡ଼ ବଡ଼ ଆଖିରେ ଦେଖୁଥିଲା,ହେଲେ ଦେହ ରେ ତା'ର ଟିକିଏ ବି ବଳ ନ ଥିଲା ସାନଭାଇ କୁ ମନା କରିବାକୁ!ଜାଣିଥିଲା, ସିଏ ଅନେକ କଥା ନ କହିଲେ ବି ସାନଭାଇ ତାର ଜାଣିପାରନ୍ତି ବୋଲି!ଅଳ୍ପ ବୟସ ର ପାର୍ଥକ୍ୟ ଥିବାରୁ,ତାଙ୍କ ସାଙ୍ଗରେ ତାର ଅନ୍ତରଙ୍ଗତା ଅଧିକ ଥିଲା।ସାନଭାଇ ତା'ର ଅନ୍ୟରୁମ କୁ ଯିବା ପୂର୍ବରୁ ପୁଣିଥରେ ତାଗିଦ କରିଦେଇଥିଲେ-ତୁ ଆଉ କିଛି କରିବୁନି।ଯା-ଚୁପଚାପ ଶୋଇ ପଡେ।,ଯାହା କିଛି ଦରକାର ହବ,ମତେ କି ବୋଉ କୁ କହିବୁ।ଫୁଲ ମନ୍ତ୍ରବତ ବେଡ଼ରୁମ କୁ ଉଠିଯାଇଥିଲା।ଅଳ୍ପ ସମୟ ପରେ ଅମର ବି ଘର କୁ ଆସିଯାଇଥିଲେ ଆଉ ସବୁକିଛି ତାଙ୍କର ଠିକ ଭାବରେ ସଜଡା ହୋଇଯାଇଛି ବୋଲି ପଚାରିଦେଇ,ଆଟାଚି ଟି ଧରି ଟୁର ଯିବାକୁ ବାହାରି ପଡ଼ିଥିଲେ।ଫୁଲ ବହୁ କଷ୍ଟରେ ଖଟ ରୁ ଉଠି ତାଙ୍କୁ ବାଟୋଇ ଦେବାକୁ ଘର ର ଦୁଆର ମୁହଁ ପର୍ଯ୍ୟନ୍ତ ଆସିପାରିଥିଲା।ତାପରେ ଫେରିଯାଇଥିଲା ସେଇ ଖଟ ଉପରକୁ ଯୋଉଠି ଟିକେ ଗଡ଼ପଡ଼ ହେଉ ହେଉ ନିଜର ଅସହାୟତା ଭିତରେ ହଜିଯାଇଥିଲା!         ହଠାତ ରାତି ଅଧ ରେ ଫୁଲ ଚମକିକି ଉଠିପଡିଥିଲା,ଯେତେ ବେଳେ ତା',ପେଟ ର ଯନ୍ତ୍ରଣା କୁ ଅନୁଭବ କରିଥିଲା।ଗୋଟିଏ ଡାକ ରେ ବୋଉ ତା'ର ଉଠିବସି ଥିଲା ଓ ପୂର୍ବରୁ ସବୁ ପ୍ରସ୍ତୁତ କରି ରଖିଥିବା ବ୍ୟାଗ ଟିକୁ ତା'ପାଖରେ ରଖିଦେଇ ଅନ୍ୟରୁମ ରେ ଶୋଇଥିବା ଭାଇ ଓ ସାନଭାଇ ଙ୍କୁ ଡାକି ଦେଇଥିଲା।ଅଳ୍ପ ସମୟ ଭିତରେ ସମସ୍ତେ ଫୁଲ କୁ ନେଇ ନର୍ସିଂହୋମ ଚାଲି ଯାଇଥିଲେ,ଯୋଉଠି ଖୁବ କମ ସମୟ ରେ ,ସକାଳ ର ସୂର୍ଯ୍ୟ ଙ୍କ ଉଦୟ ସାଙ୍ଗରେ ଫୁଲ ତା'ର ମାତୃତ୍ବ ର ପ୍ରଥମ ସ୍ପର୍ଶ ପାଇ ଥିଲା!!ଛୁଆ ଦୁଇଟି ଙ୍କ ର ମୁହଁ କୁ ଦେଖି ତା'ର ଭାବନା ର ଖିଅ ଟା ଯେମିତି ଅଜଣାତ ରେ ବି ଅମର ଙ୍କ ପାଖକୁ ଲମ୍ବି ଯାଉଥିଲା।ଆଉ କେଇଘଣ୍ଟା ହୁଏତ ଅପେକ୍ଷା କରିଥିଲେ,ନିଜର ସୃଷ୍ଟି ଦୁଇଟି ଙ୍କୁ ପ୍ରଥମେ ଦେଖିପାରିଥାନ୍ତେ,ଆଉ ଛୁଆ ଦୁଇଟି ଙ୍କ ର କଅଁଳ ହାତ ପ୍ରଥମେ ତାଙ୍କ ବାପା ର ହାତକୁ ଛୁଇଁ ପାରିଥାନ୍ତା!!              ଫୁଲ...ଫୁଲ..ବୋଉ ର ଡାକ ରେ ଫୁଲ ଭାବନା ରାଜ୍ୟ ରୁ ଫେରି ଆସିଥିଲା,ଆଉ ପିଲାଦୁଇଟି ଙ୍କୁ ତା'ହାତ କୁ ବଢ଼ାଇ ଦେଇଥିଲା।ସତେ ଯେମିତି ସବୁ ମାନ ଅଭିମାନ ର ରଙ୍ଗ ମୁହଁ ରୁ ତା'ର ପୋଛି ହୋଇଯାଇଥିଲା ସେମାନଙ୍କ ସ୍ପର୍ଶରେ..ଫୁଲ ର ମୁହଁ ଟି କେବଳ ମାତୃତ୍ବ ର ରଙ୍ଗ ରେ ଚିକ୍ ଚିକ୍ କରୁଥିଲା!!

ଲେଖିକା : ପୁଷ୍ପାଞ୍ଜଳି ଦାସ
(ଓଡ଼ିଶା ଅନ ୱେବ ପରିବାର ତରଫରୁ ଅନେକ ଅନେକ ଶୁଭେଛା ଓ ଅଭିନନ୍ଦନ )