ପ୍ରମୁଖ ଖବର
ପ୍ରକୃତି ରାଜଜେମା ଆଜି ଋତୁରାଜ ବସନ୍ତଙ୍କ ପ୍ରେମରେ
spring season love

ହେମାଳ ପବନ କମିକମି ଗଲା ଶୀତଋତୁ ଯେଣୁ ସରିଲାଣି,
ଋତୁରାଜଙ୍କର ପ୍ରବେଶ ହୋଇଲା ବସନ୍ତ ମଳୟ ବହିଲାଣି ।
ଶିମିଳି ଗଛର ଥୁଣ୍ଟା ଡାଳେ ସବୁ ଲାଲ୍ ଲାଲ୍ ଫୁଲ ହସିଲାଣି,
ଦଳଦଳ ହୋଇ ମହୁମାଛି ସବୁ ମନଭରି ମହୁ ଶୋଷିଲେଣି ।
ପଳାଶ ଗଛରେ ପେନ୍ଥାପେନ୍ଥା ଫୁଲ ଧରଣୀରାଣୀକୁ ସାଜିଲେଣି,
ଫଗୁଣ ରଙ୍ଗରେ ରଙ୍ଗେଇ ହେବାକୁ ରାଧାକୃଷ୍ଣ ବିଜେ ହୋଇଲେଣି ।
ଆମ୍ବ ବଉଳର ବାସ ଚହଟିଲା କୋଇଲିର କୁହୁ ଶୁଭିଲାଣି,
ରଙ୍ଗବେରଙ୍ଗର ଫୁଲେ ସାଜି ହୋଇ ପ୍ରକୃତିରାଣୀ ହସିଲାଣି ।
ବସନ୍ତ ମଳୟ ଶିରିଶିରି ବହି ସଭିଙ୍କର ମନ ମୋହିଲାଣି,
ବସନ୍ତରାସର ଉତ୍ସବ ପାଇଁକି ଗାଁଗଣ୍ଡା ସବୁ ସାଜିଲାଣି ।
ଫଗୁଣ ମାସର ନିର୍ମଳ ଆକାଶେ ନିର୍ମଳ ଜୋଛନା ଦିଶିଲାଣି,
ନଦୀ ସେପାରିର ଦୂର ପାହାଡରେ ଜୋଛନା କିରଣ ପଡିଲାଣି ।
ଜୋଛନା ରାତିରେ ନଦୀର ବୁକୁରେ ନାଉରୀର ଗୀତ ଶୁଭିଲାଣି,
ସ୍ୱଭାବେ ଭାବୁକ କବି ପ୍ରାୟେ ଜନ ନଉକାରେ ଯାଇ ବସିଲେଣି ।
ପ୍ରକୃତି ଉପରେ କବିତା ଲେଖିବେ ମନ ତାଙ୍କ ଏବେ ଉଡିଲାଣି,
କବିତା ଲେଖାରେ ରାତି ପାହିଯାଏ ଜୋଛନା କେବେଠୁଁ ବୁଡିଲାଣି ।
ପହିଲି ବସନ୍ତେ ବୃକ୍ଷଲତା ସବୁ ନବ ପଲ୍ଲବରେ ସାଜିଲେଣି,
ପ୍ରକୃତିରାଣୀର ଏହି ରୂପ ଦେଖି ଯୁବକବି ମନ ହଜିଲାଣି ।
ପାହାନ୍ତା ପହର ମହୁଲିଆ ଶୀତ ଥିରିଥିରି ଦେହେ ବାଜିଲାଣି,
ପାହାନ୍ତି ନିଦରେ ଶୋଇଶୋଇ ଲୋକେ ସପନ ରାଇଜେ ହଜିଲେଣି ।
ଋତୁରାଜଙ୍କର ରାଜୁତି କାଳରେ ଧରଣୀର ରୂପ ସାଜିଲାଣି,
ତରୁଣ ତରୁଣୀ ପ୍ରେମ କରିବାକୁ ନୂଆନୂଆ ବାଟ ଖୋଜିଲେଣି ।

କବି : ଶ୍ରୀଯୁକ୍ତ କିଶୋର ଦାସ
(ଓଡ଼ିଶା ଅନ ୱେବ ପରିବାର ତରଫରୁ ଅନେକ ଅନେକ ଶୁଭେଛା ଓ ଅଭିନନ୍ଦନ )

ଅଧିକ ନ୍ୟୁଜ୍ ଅପଡେଟ୍ ପାଇଁ ଆମ ୱେବସାଇଟ odishaonweb.com ଓ ଫେସବୁକ୍ ପେଜ www.facebook.com/OdishaOnWeb ରେ ଜଡ଼ିତ ରୁହନ୍ତୁ ।