ପ୍ରମୁଖ ଖବର
ନବୀନଙ୍କ ଲୋକପ୍ରିୟତା ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ

ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଅଭିହିତ କରାଯିବା ପରେ ବିରୋଧୀ କଂଗ୍ରେସ ତୀବ୍ର ସମାଲୋଚନା କରିବା ସହ ଉକ୍ତ ଗଣମାଧ୍ୟମ ସଂସ୍ଥାର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଆଜି ତାଙ୍କ ଦଳ ବିଜେଡି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିବାବେଳେ ରାଜ୍ୟର ସ୍ଥିତି ଏତେ ବିପର୍ଯ୍ୟସ୍ତ ଥିବାବେଳେ ନବୀନ କିଭଳି ଏକନମ୍ବର ହେଲେ ବୋଲି କଂଗ୍ରେସ ଆଶ୍ଚର୍ଯ୍ୟବ୍ୟକ୍ତ କରିଛି। ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟରେ ଚାଷୀ ହତାଶ ସ୍ଥିତିରେ ଥିବାବେଳେ ବେକାରୀ ଓ ଦାଦନ ସମସ୍ୟା ବଢ଼ିଚାଲିଛି। ନାରୀ ନିର୍ଯାତନା, ପିଲାଚୋରି, ରାଜନୀତିକ ହତ୍ୟା ଓ ଦୁର୍ନୀତି ବଢ଼ିବାରେ ଲାଗିଛି। ଏସବୁ ସତ୍ତ୍ୱେ ନବୀନ ପଟ୍ଟନାୟକ ଏକ ନମ୍ବର ମୁଖ୍ୟମନ୍ତ୍ରୀ। କେବଳ ଲୋକଙ୍କୁ ବିଭ୍ରାନ୍ତି କରିବା ପାଇଁ ଏପରି ଡ୍ରାମା ଚାଲିଛି ବୋଲି ନିରଞ୍ଜନ କହିଛନ୍ତି।