ପ୍ରମୁଖ ଖବର
ଆଜି ପୌଷ ପୂର୍ଣ୍ଣିମା, ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜିଉ
pushan-purnima-in-puri

ଆଜି ପୌଷ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟଭିଷେକ ନୀତି ସମ୍ପାଦନ କରାଯିବ । ରତ୍ନ ସିଂହାସନରେ ଶ୍ରୀଜିଉ ମାନେ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।

ପୂର୍ବଦିନରୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯିବ । ଏହାପରେ ପରେ ପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମା ଲକ୍ଷ୍ମୀ ଙ୍କ ମନ୍ଦିର ଜଗମୋହନକୁ ବିଜେ କରିବେ | ସେଠାରେ ମାଜଣା ଓ ବନକ ଲାଗି ଆଦି ନୀତି ପରେ  ଶ୍ରୀଦେବୀଙ୍କୁ ବେଶ କରାଯିବ । ପରେ ରତ୍ନସିଂହାସନରେ ମହାପ୍ରଭୁ ମାନଙ୍କ ସୁନାବେଶ ଅନୁଷ୍ଠିତ ହେବ । କିରିଟ, ଶ୍ରୀପୟର, ଶ୍ରୀଭୁଜ, ହରିଡ଼ାମାଳ, ବାହାଡା ମାଳ, ଆଦି ବିବିଧ ପ୍ରକାର ସ୍ଵର୍ଣ ଅଳଙ୍କରରେ ମହାପ୍ରଭୁ ମାନେ ରାଜରାଜେଶ୍ୱର ବେଶରେ ଭକ୍ତ ଗଣଙ୍କୁ ଦର୍ଶନ ଦେବେ ।

ଅନ୍ୟପଟେ ଆଜି ମଧ୍ୟ ପୁଷ୍ୟା ନକ୍ଷତ୍ର ଯୋଗରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ  ମଧ୍ୟ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ । ପଞ୍ଚଦେବତା ପୂଜା ଠାରୁ ଆରମ୍ଭ କରି ଶାସ୍ତ୍ରୀୟ ପୂଜା ପରେ ଗଜପତି ମହାରାଜ ଅଭିଷେକ ହେବେ ।  ଷୋଳ ଶାସନ ବ୍ରାହ୍ମଣ ଓ ପଣ୍ଡିତ ମାନେ ନଡ଼ିଆ, ପଇତା ପ୍ରଦାନ କରିବା ସହ ମହାରାଜାଙ୍କୁ ଆଶୀର୍ବାଦ ଦେବେ । ଗଜପତିଙ୍କ ଶାସନ ଶୁଭ ଓ ମଙ୍ଗଳପ୍ରଦ ହେବା ସହ ଜଗତର କଲ୍ୟାଣ ପାଇଁ ଏହି ନୀତି କରାଯାଉଥିବା ବେଳେ ଏନେଇ ବ୍ରାହ୍ମଣ ମାନେ ଆଶିଷ ମଧ୍ୟ ଦେଇଥାନ୍ତି । ସେହିପରି ଆଜି ସନ୍ଧ୍ୟାରେ  ଶଙ୍କରାଚାର୍ଯ୍ୟ  ମଠ ପକ୍ଷରୁ ସମୁଦ୍ର ଆଳତିର ବର୍ଷପୂର୍ତ୍ତି ଉତ୍ସବ ମଧ୍ୟ ପାଳନ କରାଯିବ ।