ପ୍ରମୁଖ ଖବର
ଆଉ ରାସ୍ତାରେ ଅତିଷ୍ଠ ହେବେନି ଜୟଦେବ ବିହାର ଓ ନନ୍ଦନକାନନ ଯାତ୍ରୀ
jayadev-bihar-double-road

ଜାମରୁ ମିଳିବ ବଡ ଆଶ୍ଵସ୍ତି। ଖୁବଶୀଘ୍ର ଶେଷ ହେବ ଜୟଦେବବିହାରରୁ ନନ୍ଦନକାନନ ସମାନ୍ତରାଳରେ ଥିବା ଦୁଇ ରାସ୍ତା। ରାଜଧୀନୀର ଟ୍ରାଫିକ ଜାମ ଦୂର ପାଇଁ ସମାନ୍ତରାଳ ରାସ୍ତା ତିଆରି ହେଉଛି। ଏହି ରାସ୍ତା ଜୟଦେବ ବିହାରରୁ ନନ୍ଦନକାନନ ଯାଏଁ ଲାଗି ରହୁଥିବା ଟ୍ରାଫିକ ଜାମ କମାଇବ। ତେବେ ଧୀମା ଗତିରେ ଚାଲୁଥିବା ଏହି ସମାନ୍ତରାଳ ରାସ୍ତାର ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସମୀକ୍ଷା କରିଛନ୍ତି । ବିଏମସି କମିଶନର ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ମିଶି ମୁଖ୍ୟ ଶାସନ ସଚିବ କାର୍ଯ୍ୟ କେତେ ଦୂର ଆଗେଇଛି ତାହା ତଦାରଖ କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି ।  ବିଶେଷ କରି ସାଲିଆସାହିରୁ ବାହାରି ଇନଫୋସିସ୍ ଓ ସୈନିକ ସ୍କୁଲରୁ ଗାଡକଣ ଦେଇ ଯାଇଥିବା ରାସ୍ତା କାମ ଖୁବ ଶୀଘ୍ର କିଭଳି ଶେଷ ହେବ ତାହା ଉପରେ ଗୁରୁତ୍ବ ଦିଆଯାଇଥିବା ସୂଚନା ମିଳିଛି ।  ଆସନ୍ତା ୧୫ ଦିନ ମଧ୍ୟରେ ରାସ୍ତା ଅବରୋଧ କରି ରହୁଥିବା ଲୋକଙ୍କ ଘର ଖାଲି କରି ସେଠାରେ ରାସ୍ତା କିଭଳି ଯାଇ ପାରିବ ସେ ନେଇ ପ୍ରୟାସ କରାଯାଉଛି । ରାସ୍ତା କାମ ବର୍ତ୍ତମାନ ଅଧା ସରିଥିବା ବେଳେ ବାକି କାମ ଦୁଇ ତିନି ମାସ ମଧ୍ୟରେ ଶେଷ ହେବ ବୋଲି ପ୍ରଶାସନ ଆଶା ବାନ୍ଧିଛି।

ରାସ୍ତା କାମ ଆରମ୍ଭ ହେବା ସହ ପୂର୍ବରୁ ସେଠାରେ ରହୁଥୁବା ଲୋକଙ୍କ ଥଇଥାନ ପାଇଁ କାମ ଆରମ୍ଭ ହୋଇଥିଲା । ରାସ୍ତା ପାଖରେ ରାଜୀବ ଗାନ୍ଧି ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ଲୋକଙ୍କୁ ୩୫ ହଜାର ଟଙ୍କା ଓ ରହିବା ପାଇଁ ୬୦୦ ବର୍ଗଫୁଟର ଜମି ମଧ୍ୟ ପ୍ରଦାନ କରାଯାଇଛି। ତଥାପି ବିଭିନ୍ନ ସମସ୍ୟା ଯୋଗୁଁ ରାସ୍ତା କାମ ଆଗେଇ ପାରୁ ନଥିବା ବେଳେ ଏନଜିଟି ଛାଟ ବୋଝ ଉପରେ ନଳିତାବିଡା ସାଜିଛି । ଏଭଳି ସ୍ଥିତିରେ ଜୟଦେବବିହାର-ପଟିଆ ରାସ୍ତାରେ ଭିଡ ବଢ଼ୁଥିବା ବେଳେ ରାଜଧାନୀ ବାସିନ୍ଦା ହନ୍ତସନ୍ତ ହେଉଛନ୍ତି। ସେପଟେ ରାସ୍ତା ଜାମ କମାଇବାକୁ ହେଲେ ଲେନ ଡ୍ରାଇଭ ଠିକ ଭାବେ ହେବା ଦରକାର ବୋଲି ଅର୍ବାନ ପ୍ଲାନର କହିଛନ୍ତି ।

ଭୁବନେଶ୍ୱରର ମଧ୍ୟଭାଗରେ ଥିବା ୪୩୦ ଏକରରୁ ଅଧିକ ଜଙ୍ଗଲ ଜମିକୁ ଡାଇଭର୍ସନ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ, କେନ୍ଦ୍ର ପରିବେଶ ଓ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେବା ସହ ନୂଆ କାର୍ଯ୍ୟ ଉପରେ ରୋକ ଲଗାଇଛନ୍ତି। ଏହି ନିର୍ଦେଶାନାମା ପ୍ରଶାସନ ପାଇଁ ମଧ୍ୟ ଏକ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।